Unknown

 

 

 

 

 

 

 

 

 

କୃଷିପାଠ

ଶ୍ରୀ ଗୋବିନ୍ଦ ରଥ

 

BABU GIRISH CHANDRA BASU, M.A.

BABU BYOMKESH CHAKRAVERTY, M.A.

 

Dear Sirs,

 

With sentiments of deep respect and affection I beg to inscribe this treatise on Agriculture to you in appreciation of the noble zeal which animated you to acquire knowledge of the useful science of Agriculture in spite of the perils of the sea and thereby to render important service to this country by bringing your scientific knowledge and practical experience to bear upon the mode of agriculture that is now in vogue in India.

 

Yours, & c

Gobind Rath

Image

 

କୃଷି ବିଷୟକ ବିଶେଷ ଜ୍ଞାତବ୍ୟ ବିଷୟ

 

ଭୂମିରେ ମଞ୍ଜି ପୋତିଲେ ଜଳ, ବାୟୁ ଆଉ ଉତ୍ତାପର ପରିମାଣାନୁସାରେ ତାହା ଅଙ୍କୁରିତ ହୁଏ । ଯେଉଁ ଶସ୍ୟପ୍ରତି ଯେରୂପ କାର୍ଯ୍ୟ କରିବାର ଆବାଶ୍ୟକ, ତାହାପ୍ରତି ସେହିପ୍ରକାର କାର୍ଯ୍ୟ କଲେ ଅବଶ୍ୟ ଫଳଲାଭ ହେବ ସଂନ୍ଦେହ ନାହିଁ । କିନ୍ତୁ ତବ୍ଦିପରିତ କାର୍ଯ୍ୟକଲେ ତହିଁରେ ଉପଯୁକ୍ତ ଫଳଲାଭ ହେବାର ସମ୍ଭାବନା ନାହିଁ । ଅତଏବ ଉଦ୍ଭିଦ ମାନଙ୍କର ସ୍ୱଭାବ ପରିଜ୍ଞାତ ହେବାର ଅତ୍ୟନ୍ତ ଆବଶ୍ୟକ ।

 

୧.

ମାଟି ଦୁଇପ୍ରକାର । ଯଥା; ମଟାଳ ଓ ବେଲିମାଟି । ଏହି ଦୁଇପ୍ରକାର ମାଟିର ସଂଯୋଗରେ ନାନାପ୍ରକାର ମାଟି ଉତ୍ପନ୍ନ ହୁଏ, ଏହି ମିଶ୍ରିତ ମାଟି ଚାଷ ପକ୍ଷରେ ବଡ଼ ଉପକାରୀ ଅଟେ ।

୨.

ଭୂମିରେ ମଞ୍ଜି ପୋତିଲେ ଜଳ, ବାୟୁ ଆଉ ଉତ୍ତାପର ପରିମାଣାନୁସାରେ ତାହା ଅଙ୍କୁରିତ ହୁଏ ।

୩.

ଯେଉଁ ସମସ୍ତ ବୃକ୍ଷର ମୂଳ, ଶାଖାବିଶିଷ୍ଟ ସେମାନଙ୍କ ପକ୍ଷରେ ମଟାଳ ମାଟି ଅତ୍ୱୁତ୍ତମ । ଯଥା; ଆମ୍ର, ପନସ ଇତ୍ୟାଦି ନାନାପ୍ରକାର ବୃକ୍ଷ ।

୪.

ଯେଉଁ ସମସ୍ତ ବୃକ୍ଷର ଫଳରେ ଓ କାଣ୍ତରେ ଜଳର ଅଂଶ ଅଧିକ, ସେହିମାନଙ୍କ ପକ୍ଷରେ ବାଲୁକାମୟ ମୃତ୍ତିକା ଅତ୍ୟୁତ୍ତମ । ଯଥା; ତରୁଭୁଜ, ଫୁଟୀ ଇତ୍ୟାଦି ।

୫.

ମିଶ୍ରିତ ମୃତ୍ତିକାରେ ଅନେକ ପ୍ରକାର ଶସ୍ୟ କରାଯାଇପାରେ ।

୬.

ନଦୀକୂଳ ବା ଯେଉଁ ଯେଉଁ ସ୍ଥାନରେ ପଟୁ ପଡ଼ଇ ସେହି ସେହି ସ୍ଥାନରେ ଉତ୍ତମ ଶସ୍ୟ ହୋଇ ପାରେ ।

୭.

ଗ୍ରାମାଦିର ଧୋରା ପାଣି ଯାଇ ଯେଉଁ ସ୍ଥାନରେ ପ୍ରବେଶ ହୁଏ, ସେହି ସ୍ଥାନ କୃଷି ପକ୍ଷରେ ବଡ଼ ଉପଯୋଗୀ ।

୮.

ପୁରୁଣା କାନ୍ଥର ମାଟି ଏବଂ ପୁଷ୍କଣୀର ପଙ୍କ ନେଇ ଜମିରେ ପକାଇଲେ ତହିଁର ଉର୍ବରତା ଶକ୍ତି ବୃଦ୍ଧି ହୁଏ ।

୯.

କ୍ଷେତ୍ରରେ ଏକ ଜାତୀୟ ଶସ୍ୟ କ୍ରମାଗତ ଜନ୍ମିଲେ ମୃତ୍ତିକାର ଉର୍ବରତା ନଷ୍ଟ ହୁଏ, ଏ ନିମିତ୍ତ ସମୟେ ସମୟେ ଭୂମିରେ ଭିନ୍ନଜାତୀୟ ଶସ୍ୟ ଓ ସାର ପ୍ରଦାନ କରିବା ଉଚିତ ।

୧୦.

ବାୟୁର ସଂଶ୍ରବେ ମୃତ୍ତିକା ବିଶୋଧିତ ହୁଏ, ଏଥିପାଇଁ ବର୍ଷାନ୍ତେ ଅର୍ଥାତ୍ କାର୍ତ୍ତିକାଦି ମାସରେ ଅଥବା ଗ୍ରୀଷ୍ମ କାଳରେ ମୃତ୍ତିକା ଖନନ କରି ଏକ ଏକ ବାର ଓଲଟାଇ ଦେବା କର୍ତ୍ତବ୍ୟ, ତାହା ହେଲେ ରୌଦ୍ର ଓ ବାୟୁଲଗି ମୃତ୍ତିକା ଶୁଷ୍କ ହୁଏ, ସୁତରାଂ ବୃକ୍ଷର ମୂଳ ଓ ଆନ୍ତରିକ ରସ ପ୍ରଭୃତି ଯେଉଁ ସମସ୍ତ କାରଣରେ ଭୂମି ଅନୁତ୍ପାଦକ ଥାଏ, ସେ ସମସ୍ତ ବିନଷ୍ଟ ହୋଇ ଭୂମିର ଅସାଧାରଣ ଉତ୍ପାଦିକା ଶକ୍ତି ଜନ୍ନେ ।

୧୧.

ଅନୁତ୍ପାଦକ ଭୂମିର ମୃତ୍ତିକା ଖନନ କାରି ପୋଡ଼ାଇଲେ ଅନେକ ଉପକାର ଦର୍ଶାଇ ଅନେକ ସ୍ଥାନର କୃଷକମାନେ ଧାନ କାଟିନେଇ ନଡ଼ାରେ ଅଗ୍ନି ଲଗାଇ ଦିଅନ୍ତି ।

୧୨.

ଭୂମିର ଉର୍ବରତା ଶକ୍ତି ବୃଦ୍ଧି କରିବା ନିମିତ୍ତ ତହିଁରେ ସାର (ଖତ) ଦେବାର ଉଚିତ ସାଧାରଣ କୃଷି ପକ୍ଷରେ ପିଡ଼ିଆ ଓ ଗୋବରର ସାର ଯଥେଷ୍ଟ ।

୧୩.

ଉଦ୍ଭିଦମାନଙ୍କର ସ୍ୱଭାବାନୁସାରେ ଯେଉଁ ଋତୁରେ ଯେଉଁ ଶସ୍ୟ ଉତ୍ପାଦିତ ହେବାର ନିୟମ ଅଛି ସେହି ଋତୁରେ ସେହି ଶସ୍ୟ କରିବାର ଉଚିତ ନୋହିଲେ ସନ୍ତୋଷଜନକ ଫଳଲାଭର ସମ୍ଭାବନା ନାହିଁ; ଆଉ ଏକ ଜାତୀୟ ଶସ୍ୟ ପ୍ରତିବର୍ଷ ଏକ ଭୂମିରେ ବୁଣିବାର ଉଚିତ ନୁହେ

୧୪.

ବୀଜବପନ ଓ ଚାରା ରୋପଣ କରିବାର ପୂର୍ବରେ ଭୂମିକି ଉତ୍ତମରୂପେ ଚାଷ କରି ମଇଦ୍ୱାରା ସମତୁଲ ଓ ମାଟିକି ଉତ୍ତମରୂପେ ଚୂର୍ଣ୍ଣ କରିବାର ଉଚିତ ।

୧୫.

ବୀଜ ଅତି କ୍ଷୁଦ୍ର ହେଲେ ରୋପଣ ସମୟରେ ଅତ୍ୟଳ୍ପ ମାଟି ଚପା ଦେବାର ଉଚିତ ନଚେତ୍ ଗଜା ହେବା ପକ୍ଷରେ ବିଶେଷ ବ୍ୟାଘାତ ହେବ ।

୧୬.

ଯେଉଁ ସମସ୍ତ ବୀଜ ଅଧିକ ଜଳ ବାୟୁ ସହ୍ୟ କରି ପାରନ୍ତି ସେମାନଙ୍କୁ ବର୍ଷା କାଳରେ ଏବଂ ଯେଉଁମାନେ ଜଳ ଲାଗିଲେ ସଡ଼ି ଯାଆନ୍ତି ସେମାନଙ୍କୁ ଶୀତ କାଳରେ ରୋପଣ କରିବାର ଉଚିତ ।

୧୭.

ଗଜା ଜନ୍ମିଲେ ଗଜାର ମୂଳସ୍ଥ ମୃତ୍ତିକା ସମୟେ ସମୟେ ଅଲଗା କରି ଦେବାର ଉଚିତ ।

୧୮.

ଗଜାର ମୂଳସ୍ଥ ମୃତ୍ତିକା ସରସ ରଖିବା ନିମିତ୍ତ ସମୟେ ଜଳ ସେଚନ କରିବାର ଆବଶ୍ୟକ ।

୧୯.

ଅପରାହ୍ନ କାଳରେ ଜଳ ସେଚନ କର୍ତ୍ତବ୍ୟ, ରୌଦ୍ର-ସମୟରେ ଜଳସେଚନ କରିବାର ବିହିତ ନୁହେ ।

୨୦.

ଗଜାର ମୂଳରେ ସାର (ଖତ) ଦେବାର ଉଚିତ ମାତ୍ର ସାର ଦେବା ସମୟରେ ତାହା ଠିକ ମୂଳରେ ନଦେଇ ମୂଳର କିଂଚିତ୍‍ ଦୂରରେ ଚତୁଃପାର୍ଶ୍ୱରେ ଦେବାର ଆବଶ୍ୟକ ।

୨୧.

ବୃକ୍ଷର ମୂଳର ମୃତ୍ତିକା ସରସ ଥିଲେ ଜଳ ସେଚନ ବିଧେୟ ନୁହେ କାରଣ ଅଧିକ ଜଳ ହେତୁରୁ ତାହାର ମୂଳ ସଡ଼ି ଯିବାର ସମ୍ଭାବନା ।

୨୨.

କୌଣସି ଗଜାର ମୂଳରେ ସଦ୍ୟ ଗୋମୟ ଦେବାର ଉଚିତ ନୁହେଁ ପଚା ଗୋମୟ ସାର ରୂପରେ ବ୍ୟବହାର କରିବା ଉଚିତ ।

୨୩.

ଭୂମିର ନିମ୍ନରେ ଇଟା ବା ପଥର କୌଣସି କଠିନ ପଦାର୍ଥ ଥିଲେ ସେ ସ୍ଥାନରେ ବୃକ୍ଷ ରୋପଣ କରିବାର ବିଧେୟ ନୁହେ ।

୨୪.

ନୀରସ ଏବଂ ତାପଯୁକ୍ତ ଭୂମିରେ ବୀଜ ବପନ ଅନୁଚିତ ଏରୂପ ଭୂମିରେ ବୀଜ କଦାପି ଅଙ୍କୁରିତ ହୁଏ ନାହିଁ ।

୨୫.

କୌଣସି ବିଦେଶୀୟ ବୃକ୍ଷ ଏ ଦେଶରେ ରୋପଣ କଲେ ତାହା ଉତ୍ତାପର ତାରତମ୍ୟ ହେତୁରୁ ଫଳୋତ୍ପାଦକ ନହେଲେ ତାହାର ମୂଳର ମୃତ୍ତିକା ଅଲଗା କରିଦେଇ ସୂର୍ଯ୍ୟୋତ୍ତାପରେ ବହିଷ୍କୃତ ରଖିବ, ତହିଁ ଉତ୍ତାରୁ ସ୍ଥାନାନ୍ତରରୁ ଅନ୍ୟ ସରସ ମୃତ୍ତିକା ଆଣି ତାହା ମୂଳରେ ଦେଲେ ଅପେକ୍ଷାକୃତ ଫଳ ପୁଷ୍ପ ଅଧିକ ହେବାର ସମ୍ଭାବନା ।

 

ସାର (ଖତ)

 

ଭୂମିର ଉତ୍ପାଦିକା ଶକ୍ତି ବୃଦ୍ଧି କରିବାର ନିମିତ୍ତ କ୍ଷେତ୍ରରେ ସାର ପ୍ରଦାନ କରିବାର କର୍ତ୍ତବ୍ୟ, ସାର ନାନାପ୍ରକାର ହୋଇ ପାରେ । ଯଥା ଉତ୍ତିଜ୍ଜସାର, ପ୍ରାଣିସାର ଓ ଧାତୁସାର, ଏହି ସାରମାନଙ୍କ ଯୋଗରେ ନାନାପ୍ରକାର ମିଶ୍ରିତ ସାର ପ୍ରସ୍ତୁତ କରାଯାଇପାରେ ।

 

ଉଦ୍ଭିଜ୍ଜ ସାର

 

ବୃକ୍ଷର ଶାଖାପତ୍ର ସଡ଼ିଲେ ଅତି ଉତ୍କୃଷ୍ଟସାର ହୁଏ, ଏହି ସାର କ୍ଷେତ୍ରରେ ସାବଧାନ ହୋଇ ଦେବାର ଉଚିତ, ଏହା ପରିମାଣାତିରିକ୍ତ ହେଲେ ବିଶେଷ କ୍ଷତି ହେବାର ସମ୍ଭାବନା । ଏକମାଣ ଭୂମିରେ ଏକମହଣ ଉଭିଜ୍ଜସାର ଅର୍ଥାତ୍‌ ପିଡ଼ିଆ ପ୍ରଦାନ କଲେ ଯଥେଷ୍ଟ । ସାରକୁ ଉତ୍ତମ ଚୂର୍ଣ୍ଣ କରି ତାହା ଭୂମିରେ ପକାଇବ ତଦନନ୍ତର ଅଳ୍ପ ପରିମାଣରେ ଚାଷ କରି ତାହା ଉପରେ ମୃତ୍ତିକାର ଚାପ ଦେବ । ସୋରିଷ ରାଶି ଜଡ଼ା ପ୍ରଭୃତିର ପିଡ଼ିଆ ଉଭିଜ୍ଜସାର ମଧ୍ୟରେ ଉତ୍କୃଷ୍ଟ ।

 

ପ୍ରାଣି ସାର

 

ପ୍ରାଣିମାନଙ୍କର ମାଂସ, ରକ୍ତ, ଚର୍ମ, ଅସ୍ଥି; ଶୃଙ୍ଗ ପ୍ରଭୃତି ବିକୃତ ହୋଇ ମୃତ୍ତିକା ସଙ୍ଗରେ ମିଶ୍ରିତ ହେଲେ ଉତ୍ତମ ସାର ପ୍ରସ୍ତୁତ ହୁଏ । ମୃତ ଜୀବ ଜନ୍ତୁର ଶରୀର କୌଣସି ଏକ ଗର୍ତ୍ତରେ ପକାଇ ତାହା ଉପରେ ଚୂନ ଦେଇ ମୃତ୍ତିକାଦ୍ୱାରା ଉତ୍ତମରୂପେ ଗର୍ତ୍ତକୁ ପୋତିବ । ଦୁଇ ତିନିମାସ ଗଲା ଉତ୍ତାରୁ ତାହାକୁ ବାହାର କାରି ତାହା ସହିତ କିଞ୍ଚିତ୍ ଚୂନ ମିଶାଇ କ୍ଷେତ୍ରରେ ପକାଇଲେ କ୍ଷେତ୍ରର ଉର୍ବରତା ଶକ୍ତି ଅଧିକ ବୃଦ୍ଧି ହୁଏ । କୌଣସି ଜନ୍ତୁର ଶୃଙ୍ଗକୁ ଚୂର୍ଣ୍ଣ କରି ବା ଅସ୍ଥି ଖଣ୍ତ ଖଣ୍ତ କରି ଭୂମିରେ କ୍ଷେପଣ କଲେ ଅଧିକ କାଳ ପର୍ଯ୍ୟନ୍ତ ଭୂମିର ଉତ୍ପାଦିକା ଶକ୍ତି ବୃଦ୍ଧି ହୁଏ, ଏବଂ ଏଥିରେ ମୃର୍ତ୍ତିକା ସର୍ବଦା ବିସ୍ତାରିତ ଥାଏ, ଯେଉଁ ସବୁ ମୃତ୍ତିକାରେ ଚିକ୍କଣ ଅଶଂ ଅଧିକ ପ୍ରାଣିସାର ସେହି ସବୁ ସ୍ଥାନ ପକ୍ଷରେ ଅତି ଉତ୍ତମ । ଧାତୁସାର ଏ ଦେଶରେ ପ୍ରଚଳିତ ନାହିଁ, ଏବଂ ତଦୁପଯୁକ୍ତ ନାନାବିଧ ଧାତୁ ମଧ୍ୟ ଦୁଷ୍ପ୍ରାପ୍ୟ ।

 

ମିଶ୍ରିତ ସାର

 

ଉଭିକ୍ଜ ସାର, ପ୍ରାଣିସାର ଏକତ୍ର ମିଶ୍ରିତ ହେଲେ ‘‘ମିଶ୍ରିତସାର’’ ପ୍ରସ୍ତୁତ ହୁଏ । ଗୋ, ମେଷ, ମହିଷ ଘୋଟକ ପ୍ରଭୃତିଙ୍କର ବିଷ୍ଠା ମଧ୍ୟ ମିଶ୍ରିତ ସାର ମଧ୍ୟରେ ପରିଗଣନୀୟ । ଆମ୍ଭମାନଙ୍କ ଦେଶରେ ଗୋମୟ ସାର ଅତି ପ୍ରଧାନ; ମାତ୍ର ସଦ୍ୟ ଗୋମୟ କୃଷି ପକ୍ଷରେ ଅଧିକ ଉପକାରୀ ନୁହେ । ଗୋମୟ ସାର ପ୍ରସ୍ତୁତ କରିବାକୁ ହେଲେ କୌଣସି ଏକ ଛାୟାବୃତ ସ୍ଥାନରେ ଗୋଟିଏ ଗର୍ତ୍ତ କରିବ, ଗର୍ତ୍ତରୁ ନିମ୍ନଭାଗ ଏକ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ କ୍ରମନିମ୍ନ ହେବାର ଆବଶ୍ୟକ, ଗର୍ତ୍ତର ଯେଉଁ ପାର୍ଶ୍ୱ ଅପେକ୍ଷାକୃତ ଉନ୍ନତ ସେହି ପାର୍ଶ୍ୱରେ ଗୋମୟ ପକାଇ ତାହାର ଉପରେ ସମୟେ ସମୟେ ଗୋମୂତ୍ର ଢାଳିବାକୁ ହେବ, ଏରୂପ କଲେ ଗୋବରର ସାରଭାଗ ଯାଇ ଅପର ପାର୍ଶ୍ୱରେ ସଞ୍ଚିତ ହେବ, ଏହି ସଞ୍ଚିତ ଗୋମୟସାର କ୍ଷେତ୍ର ପକ୍ଷରେ ଅତି ଉପାଦେୟ ପଦାର୍ଥ । ଗୋମୟସାର କ୍ଷେତ୍ରରେ ପ୍ରଦାନ କରିବା ପୂର୍ବରୁ କ୍ଷେତ୍ରକୁ ଉତ୍ତମରୂପେ ଚାଷ ଓ ମୃତ୍ତିକାକୁ ଚୂର୍ଣ୍ଣ କାରିବାର ଉଚିତ, ତାହା ନ ହେଲେ ସାର ମୃତ୍ତିକାରେ ଉତ୍ତମରୂପେ ମିଶ୍ରିତ ହୁଏ ନାହିଁ, ସୁତରାଂ ବୃକ୍ଷ ସତେଜ ହୋଇ ଫଳୋତ୍ପାଦକ ହେବା ପକ୍ଷରେ ବ୍ୟାଘାତ ଜନ୍ମେ । ଗୋ, ମେଷ, ମହିଷ, ଘୋଟକ ପ୍ରଭୃତିଙ୍କର ମୂତ୍ରକୁ କିଛି କାଳ ସଡ଼ାଇ ରଖି ତହିଁରେ ଚାରିଗୁଣ ଜଳ ମିଶାଇ କ୍ଷେତ୍ରରେ ସେଚନ କଲେ ମୃତ୍ତିକା ଅପାକ୍ଷାକୃତ ହାଲୁକା ହୁଏ । ମାତ୍ର ସଦ୍ୟ ମୂତ୍ର କ୍ଷେତ୍ରରେ ପ୍ରଦାନ କଲେ ଚାରା ବା ବୃକ୍ଷ ଦଗ୍ଧ ହୋଇଯାଏ । ଅତଏବ ତହିଁରେ ସାବଧାନ ହେବାର ଉଚିତ ।

Image

 

ଚାଷ ପ୍ରଣାଳୀ

ଧାନ

 

ଆମ୍ଭମାନଙ୍କର ଏହି ଦେଶରେ ଧାନ ଅତ୍ୱୁତ୍କୃଷ୍ଟ ଶସ୍ୟ ସମସ୍ତଙ୍କର ଏହା ଜୀବନୋପାୟ ଅଟେ, ଅତଏବ ଧାନର ଚାଷ ପ୍ରଣାଳୀ ପ୍ରଥମତଃ ଏହି ପୁସ୍ତକରେ ଲିଖିତ ହେଲା । ଧାନ ତିନି ପ୍ରକାର । ଯଥା; ଶାରଦ, କୋଳିଆ ଓ ଦାଳୁଅ ।

ଶାରଦ ଧାନ

ଯେଉଁ ଭୂମିରେ ଶାରଦ ଧାନ କରିବାକୁ ହେବ ତାକୁ ମାଘ ବା ଫାଲ୍‌ଗୁନ ମାସରେ ବୃଷ୍ଟି ହେଲା ଉତ୍ତାରୁ ଦୁଇ ଓଡ ଚାଷ କରି ତହିଁରେ ଗୋମୟ ସାର ଦେଇ ପକାଇ ରଖିବ । ବୈଶାଖ ଏବଂ ଜ୍ୟେଷ୍ଠ ମାସ ଆଦ୍ୟରେ ବର୍ଷା ହେଲା ଉତ୍ତାରୁ ଉକ୍ତ ଭୂମିକି ଉତ୍ତମରୂପେ (ସାତ ଓଡ଼ରୁ କମ୍‌ ନୁହେ) ଚାଷ କରି ତହିଁରେ ଧାନ ବୁଣି ମଇଦ୍ୱାରା ଭୂମିକି ସମତୁଲ କରିବ । ଚବିଶ ଦସ୍ତି ଏକ ମାଣ ଭୂମିରେ କଟକି ୩୨ ସେର ଧାନ ବୁଣିବାର ଉଚିତ । ଧାନ ଗଛ ହୋଇ ଭୂମିରେ ଉତ୍ତମରୂପେ ପାଣି ଲାଗିଲା ଉତ୍ତାରୁ ତାହାକୁ ହଳଦ୍ୱାରା ଚାଷ କରିବାକୁ ହେବ, ଏହାକୁ ଲୋକେ ବିହୁଡ଼ା ବା ବେଉଷଣ କହନ୍ତି । ଏରୂପ କରିବାର କାରଣ ଏହି ଯେ ମୃତ୍ତିକା ବିସ୍ତାରିତ ହେଲେ ଗଛର ଅଧିକ ପରିମାଣରେ ମୃତ୍ତିକା ଭେଦ କରିବାକୁ ଓ ରସାକର୍ଷଣ କରିବାକୁ ସାମର୍ଥ୍ୟ ହୁଏ । ବିହୁଡ଼ାର ପନ୍ଦର ଦିନ ଉତ୍ତାରୁ ଭୂମିରେ ଯେଉଁ ସବୁ ଘାସ ଥିବ ତାହା ଉତ୍ତମରୂପେ ବଛାଇ ଦେଇ କ୍ଷେତ୍ରରେ ଜଳ ଆବଦ୍ଧ କରି ରଖିବ । ଯେଉଁ ଯେଉଁ ସ୍ଥାନରେ ଧାନ ଗଛ ନ ଥିବ ଅନ୍ୟ ସ୍ଥାନରୁ ଧାନ ଆଣି ସେହି ସ୍ଥାନ ପୂରଣ କରିବାକୁ ହେବ, ଏହାକୁ ଖେଳୁଆ କହନ୍ତି । ଶାରଦ ଧାନ ଚାଷର ଏହି ନିୟମ ମାତ୍ର ଖାଲ ଭୂମିରେ ଗଣ୍ଡଧାନ ଓ ଢିପ ଭୂମିରେ ଲଘୁ ଧାନ କରିବାକୁ ହେବ । ଶାରଦ ଧାନ ମାର୍ଗଶିର ଓ ପୁଷ ମାସରେ କଟାଯାଏ ଶାରଦ ଧାନ ପଥ୍ୟ, ପୁଷ୍ଟିକର ଓ ସୁସ୍ୱାଦୁ ।

କୋଳିଆ ଧାନର ଚାଷ

କୋଳିଆ ଧାନ ଢିପ ଭୂମିରେ, ଏବଂ ନଦୀ କୂଳ ପ୍ରଭୃତି ସ୍ଥାନରେ ଉତ୍ତମ ହୁଏ । ମାଘ ମାସରୁ ଭୂମିକି ଉତ୍ତମରୂପେ ଚାଷ କରି ଘାସ ବାଛି ଗୋମୟର ସାର ଦେଇ ପକାଇ ରଖିଥିବ, ଜ୍ୟେଷ୍ଠ ମାସ ଆଦ୍ୟରେ ବର୍ଷା ହେଲା ଉତ୍ତାରୁ ଭୂମିକି ପାଞ୍ଚ ଓଡ଼ରୁ କମ ନୁହେ ଏରୂପ ଚାଷ କରି ମାଟିକି ଉତ୍ତମରୂପେ ଚୂର୍ଣ୍ଣ କରିବ ତତ୍ପରେ ଧାନ ବୁଣି ମଇଦ୍ୱାରା ଭୂମିକି ସମତୁଲ କରିବ, ଗଛ ଉଠି କିଞ୍ଚିତ୍‍ ବଡ଼ ହେଲା ଉତ୍ତାରୁ ତହିଁରେ ବିଦା ଦେଇ ବଛାବଛି କରିବ । କୋଳିଆ ଧାନ ଭାଦ୍ରବ ମାସରେ କଟାଯାଏ । କୋଳିଆ, ବଳକାରକ, ପଥ୍ୟ ଓ ଅଗ୍ନିବର୍ଦ୍ଧକ ।

 

*

ଯେଉଁ ଧାନରେ ଅଧିକ ସମୟ ଲାଗେ ଓ ନଦୀ ବୃଦ୍ଧି ପ୍ରଭୃତିରେ ଧାନ ଦୀର୍ଘକାଳରେ ସଡ଼ି ଯାଏ-

ଦାଳୁଅ ଧାନ

ଏହି ଧାନ ଗ୍ରୀଷ୍ମକାଳରେ ହୁଅଇ । ଖାଲ ଭୂମି ଏହା ପକ୍ଷରେ ଅତ୍ୱୁତ୍ତମ ସ୍ଥାନ । ମାଘମାସ ଆଦ୍ୟରୁ ଜମିକି ଉତ୍ତମରୂପେ ଚାଷ କରି କର୍ଦ୍ଦମମୟ କରିବ, ଧାନକୁ ରାତ୍ରିରେ ଜଳରେ ଭିଜାଇ ରଖି ପରଦିନ ସେହି ଧାନ ନେଇ ଉକ୍ତ କର୍ଦ୍ଦମମୟ ଭୂମିରେ ଛାଟି ପକାଇବ, ଏହାକୁ ଲୋକେ ‘‘ଅଛରା’’ କହନ୍ତି । ତଦନନ୍ତର ଗଛ ହେଲା ଉତ୍ତାରୁ ଆବଶ୍ୟକ ମତ ତହିଁରେ ପାଣି ଦେବାକୁ ହେବ । ଦାଳୁଅ ଗୁରୁପାକ ଓ ଅପଥ୍ୟ ।

ବ୍ରୀହି

ବ୍ରୀହି ଚାଷରେ ପ୍ରାୟ ଅଧିକ ପରିଶ୍ରମ ହୁଏ ନାହିଁ । ଭାଦ୍ରବମାସ ଓ ଆଶ୍ୱିନର କିଛି ଦିନ ବ୍ରୀହି ଚାଷର ଉତ୍ତମ ସମୟ, ଭୂମିକି ତିନିଓଡ଼ ଚାଷ କରି ତହିଁରେ ବ୍ରୀହି ବୁଣି ମଇଦ୍ୱାରା ଭୂମିକି ସମାନ କରିବ । ବ୍ରୀହି ଦୁଇ ପ୍ରକାରେ । ଖୁଣ୍ଟୁ ବ୍ରୀହି ଓ ଲହ ବ୍ରୀହି । ଲହ ବ୍ରୀହି ଶାରଦ ଧାନ ସଙ୍ଗେ ସଙ୍ଗେ ହୁଅଇ । ମୁଗ ଓ କୋଳଥର ଚାଷ ବ୍ରୀହି ଚାଷ ତୁଲ୍ୟ । ଚୈତା ମୁଗ ଓ ଚୈତା କୋଳଥ ପୁଷ୍ୟମାସରେ ବୁଣା ଯାଏ । ବ୍ରୀହି ସ୍ନିଗ୍ଧ ଓ ବହୁ ମଳକାରକ । ମୁଗ ବାତନାଶକ, ରୁଚ୍ୟ ଓ ଶ୍ଳେଷ୍ମକାରୀ । କୋଳଥ ଉଷ୍ଣ, ବାତକଫନାଶକ ଗୁଳ୍ମନିସୂଦନ, ଓ କାଶହନ୍ତା ।

ଜଡ଼ା

ମିଶ୍ରିତ ମୃତ୍ତିକାରେ ଜଡ଼ା ଉତ୍ତମ ହୁଏ । ଜଡ଼ାର ଚାଷ ଭାଦ୍ରବମାସରେ ଆରମ୍ଭ ହୁଏ । ଭୂମିକି ଉତ୍ତମରୂପେ ୭ ଓଡ଼ରୁ କମ ନୁହେ ଏରୂପ ଚାଷ କରି ମାଟିକି ଚୂର୍ଣ୍ଣ କରିବ । ତଦନନ୍ତର ଲଙ୍ଗଳ ସିଆର ସଙ୍ଗେ ସଙ୍ଗେ ଅର୍ଦ୍ଧ ହାତ ଛଡାରେ ଗୋଟିଏ ଗୋଟିଏ ଜଡ଼ା ପକାଇ ମଇଦ୍ୱାରା ଭୂମିକି ସମାନ କରିବ ଗଛ ଉଠିଲା ଉତ୍ତାରୁ ତାହାର ଚାରିପାଖ କୋଡ଼ିଦ୍ୱାରା ଖନନ କରିବାକୁ ହେବ । ଜଡ଼ା ମଧ୍ୟ କାର୍ତ୍ତିକ, ମାର୍ଗଶିର ମାସରେ ଅନେକ ସ୍ଥାନରେ ଲାଗଇ । ଜଡ଼ା ଅତିଶୟ ଭେଦକ ।

 

 

ମୂଳା

କାର୍ତ୍ତିକ ମାସରେ ମୂଳାର ଚାଷ ଆରମ୍ଭ ହୁଏ, ମିଶ୍ରିତ ମୃତ୍ତିକା ମୂଳା ପକ୍ଷରେ ଅତି ଉତ୍ତମ ସ୍ଥାନ । ଭୂମିକି ଏରୂପ ଚାଷ କରିବାକୁ ହେବ ଯେ ସମସ୍ତ କ୍ଷେତ୍ରର ଏକ ହସ୍ତ ଗଭୀରର ମୃତ୍ତିକାକୁ ପର୍ଯ୍ୟନ୍ତ ଅଲଗା ହୋଇ ଯିବ-। ତଦନନ୍ତର ମୃତ୍ତିକାକୁ ଧୂଳିବତ୍ ଚୂର୍ଣ୍ଣ କରି ତହିଁରେ ଗୋମୟର ସାର ବା ପିଡ଼ିଆ ଦେଇ ମଇଦ୍ୱାରା ଭୂମିକି ସମାନ କରି ମୂଳାର ମଞ୍ଜି ବୁଣିବାକୁ ହେବ-। ତଦନନ୍ତର ଉକ୍ତ କ୍ଷେତ୍ରୋପରି ଏକବାର ମଇ ଚଳାଇ ଦେବ । ମୂଳାର ଗଛ ଉଠିଲା ଉତ୍ତାରୁ ସେମାନଙ୍କୁ ଅଧ ଅଧ ହାତ ଛଡ଼ା ରଖିବା ନିମିତ୍ତ ମଝିରେ ମଝିରେ ଯେଉଁ ସମସ୍ତ ଗଜା ଥିବ ତାହା ଓପାଡି ଦେବ-। ଗଜା ଗୁଡ଼ିକ ବହଳ ରହିଲେ ମୂଳା ବଡ଼ ହୁଅଇ ନାହିଁ । ତିନି ଚାରିବରଷର ପୁରଣା ମଞ୍ଜିରେ ମୂଳା ଭଲ ହୁଏ । ନୁଆ ମଞ୍ଜି ବୁଣିଲେ ମୂଳା ମୋଟ ହୁଅଇ ନାହିଁ । ଏକ ଗୁଣ୍ଠ ଭୂମିରେ ଏକଛଟାଙ୍କି ମୂଳାମଞ୍ଜି ବୁଣିଲେ ଯଥେଷ୍ଟ ହେବ । ମୂଳ ପୁଷ୍ଟିକର, ଅଗ୍ନିବର୍ଦ୍ଧକ, ଆମନାଶକ, କଂଚା ମୂଳା ଅଳ୍ପ ରାଗ ଓ ପିତ୍ତ ବୃଦ୍ଧିକାରୀ ।

କନ୍ଦମୂଳ

ମିଶ୍ରିତ ମୃତ୍ତିକାରେ କନ୍ଦମୂଳ ଉତ୍ତମ ହୁଏ । ପ୍ରଥମତଃ ପାକଳ କନ୍ଦମୂଳ ମୃତ୍ତିକାରେ ପୋତିବ, ତହିଁରୁ ଗଛ ହେଲା ଉତ୍ତାରୁ ସେହି ଗଛର ଡାଳ ଆଣି କ୍ଷେତ୍ରରେ ରୋପଣ କରିବାକୁ ହେବ । ଯେଉଁ କ୍ଷେତ୍ରରେ ରୋପଣ କରିବ ସେହି କ୍ଷେତ୍ରକୁ ପୂର୍ବରୁ ଉତ୍ତମରୂପେ ଖନନ କରି ଏକ ଚଉକ ଗଭୀର ଓ ଏକ ଏକ ହାତ ଓସାର କରି ଗୋଟିଏ ଗୋଟିଏ ଗୋହି କରିବ । ସେହି ଗୋହିରେ ଡାଳକୁ ପୋତି ତାହାର ଚେର ଭୂମିରେ ମାଡ଼ିଲା ପର୍ଯ୍ୟନ୍ତ କିଞ୍ଚିତ୍ କିଞ୍ଚିତ୍ ପାଣି ଦେବ । ଆଷାଢ଼ ଓ ଶ୍ରାବଣ ମାସ ଏହି ଚାଷର ଉକୃଷ୍ଟ ସମୟ । କନ୍ଦମୂଳ ସୁସ୍ୱାଦ ଓ ଆମକରକ ।

କପା

ଯେଉଁ ମୃତ୍ତିକାରେ ବାଲିର ଅଂଶ ଅପେକ୍ଷା ମଟାଳ ମୃତ୍ତିକାର ଅଂଶ ଅଧିକ କପା ଚାଷ ପକ୍ଷରେ ସେହି ମୃତ୍ତିକା ଅତ୍ୱୁତ୍ତମ । କ୍ଷେତ୍ରକୁ ଉତ୍ତମ ରୂପେ ଖନନ କରି ତହିଁରେ ଗୋମୟ ସାର ବା ପିଡ଼ିଆ ଦେଇ ରଖିବ । ଅନନ୍ତର କପାର ମଞ୍ଜିକି ଗୋବରପାଣିରେ ଗୋଳାଇ କ୍ଷେତ୍ରରେ ବୁଣିବ । ଏରୂପ କଲେ ଶୀଘ୍ର ଅଙ୍କୁର ଉଠେ ଚାତୁର୍ମାସ୍ୟା କପା ହେଲେ ସିଆର ସଙ୍ଗେ ସଙ୍ଗେ ଅର୍ଦ୍ଧ ହସ୍ତ ଅନ୍ତରରେ ପୁଞ୍ଜି ଦେବ, ଏବଂ ଗୋଟିଏ ଗୋଟିଏ ଗାତ କରି ସେହି ଗାତରୁ ମାଟି ତୋଳି ଗଛର ମୂଳରେ ପକାଇବ । ଶୀତ କାଳ କପାରେ ସମୟ ଜଳସେଚନ କରିବାକୁ ହେବ । କପା ତିନିପ୍ରକାର, କାକରି ହଳଦିଆ ଓ ବାଡ଼ି କପା । କାର୍ପାସ ବସ୍ତ୍ର ଲୋକଙ୍କର ଅଧିକ ପ୍ରୟୋଜନୀୟ । ତୁଳା ଶେଯରେ ଶରୀର ଅଧିକ ଗରମ ହୁଏ ।

ବାଇଗଣ

ମିଶ୍ରିତ ମୃତ୍ତିକା ବାଇଗଣ ପକ୍ଷରେ ଉକୃଷ୍ଟ ସ୍ଥାନ । ପାଚିଲା ବାଇଗଣ ଶୁଖାଇ କରି ତାହାର ମଞ୍ଜି ରଖିବ, ସେହି ମଞ୍ଜିରେ ତଳି ପକାଇବାପାଇଁ ଗୋଟିଏ ସ୍ୱତନ୍ତ୍ର ସ୍ଥାନକୁ ଚାଷ କରି ତାହାର ମାଟିକି ଉତ୍ତମରୂପେ ଚୂର୍ଣ୍ଣ କରିବ; ଉକ୍ତ ମଞ୍ଜିକି ଦୁଇ ତିନି ଘଣ୍ଟା ଜଳରେ ଭିଜାଇ ରଖି ସେହି କ୍ଷେତ୍ରରେ ବୁଣିବ, କ୍ଷେତ୍ରରେ ଯେରୂପ ଜଳ ନ ରହିବ ସେ ବିଷୟରେ ଉତ୍କୃଷ୍ଟ ଉପାୟ ଅବଲମ୍ବନ କରିବାକୁ ହେବ, ଖରାଦିନେ ବାଇଗଣ ତଳି ପକାଇ ଥିଲେ ତାହା ଉପରେ ଅତି ସୂକ୍ଷ୍ମଧାରାରେ ଜଳସେଚନ କରିବାକୁ ହେବ । ଅନନ୍ତର ଅଙ୍କୁର ଉତ୍ପନ୍ନ ହୋଇ ତଳି ୬ ଅଙ୍ଗୁଳ ଉଚ୍ଚ ହେଲେ ତାହାକୁ ନେଇ ଏକ ଏକ ହାତ ଛଡ଼ାରେ ଧାଡ଼ି ଧାଡ଼ି କରି କ୍ଷେତ୍ରରେ ରୋପଣ କରିବ । ଯେଉଁ କ୍ଷେତ୍ରରେ ରୋପଣ କରାଯିବ, ସେହି କ୍ଷେତ୍ରକୁ ପୂର୍ବରୁ ଉତ୍ତମରୂପେ ଚାଷ ଓ ମୃତ୍ତିକା ଚୂର୍ଣ୍ଣ କରି ଖତ ଦେଇ ରଖିଥିବ । ତଳି ପୋତିଲା ଉତ୍ତାରୁ ଯେତେ ଦିନ ପର୍ଯ୍ୟନ୍ତ ତାହାର ଚେର ମାଟି ଧରି ନ ଥିବ, ତେତେଦିନ ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ତହିଁରେ କିଞ୍ଚିତ୍ କିଞ୍ଚିତ୍ ଜଳ ଦେଉଥିବ, ଚେର ଭଲରୂପେ ମୃତ୍ତିକା ଧରିଲା ଉତ୍ତାରୁ ତାହାର ଚତୁଃପାର୍ଶ୍ୱ କୋଡ଼ିଦ୍ୱାରା ଅଳ୍ପ ପରିମାଣେ ଖନନ କରି ଗଛର ମୂଳରେ ହୁଡ଼ା ବାନ୍ଧିବ । ବଡ଼ ବଡ଼ କିଆରି ହେଲେ ଧାଡ଼ିର ଉଭୟ ପାର୍ଶ୍ୱ ଲଙ୍ଗଳଦ୍ୱାରା ଚାଷ କରାଯାଏ ଗଛ ବିଶେଷ ବଡ଼ ହେଲେ ତାହାକୁ ଛୋଟ ଛୋଟ କିଆରିବନ୍ଧି କରି ତହିଁରେ ଆବଶ୍ୟକ ମତ ଜଳ ଦେଉଥିବ । ଏହି ନିୟମରେ ବାଇଗଣ ଚାଷ କଲେ ଫଳ ବଡ଼ ହୁଅଇ । ବାଇଗଣ ଅନେକପ୍ରକାର-। ନାରୀକେଳି, ପାଳୁଆ, ହରିପୁରି, କଣ୍ଟାଇମୁଣ୍ଡି, ଢୁଢୁଆ ଇତ୍ୟାଦି । କଣ୍ଟାଇମୁଣ୍ଡି ବାଇଗଣ ବଡ଼ ସୁସ୍ୱାଦି, ଏହା ଶୀତକାଳରେ ହୁଏ । ଢୁଢୁଆ ଓ ପାଳୁଆ ବସନ୍ତକାଳରେ ହୁଅନ୍ତି । ବାଇଗଣ ବାୟୁ ଓ ଅରୁଚି ନାଶକ ଅଗ୍ନିଶୁକ୍ର ଓ ରକ୍ତବର୍ଦ୍ଧକ, କିନ୍ତୁ ପାଚେଲା ବାଇଗଣ ବଡ଼ ଗରିଷ୍ଠ ଏହା ଖାଇଲେ ଅନେକ ରୋଗ ଜାତ ହୁଏ ।

କୋବି

କୋବି ଶୀତପ୍ରଧାନ ଦେଶରେ ଅଧିକ ପରିମାଣରେ ଜାତ ହୁଏ; ଆମ୍ଭମାନଙ୍କ ଦେଶରେ ଏବେ ଏହାର ଚାଷ ଆରମ୍ଭ ହୋଇଅଛି । ମିଶ୍ରିତ ମୃତ୍ତିକା ବିଶିଷ୍ଟ କ୍ଷେତ୍ର କୋବି ଚାଷ ପକ୍ଷରେ ଉପଯୁକ୍ତ । ଏହାର ଚାଷ କ୍ଷେତ୍ରରେ ରୋପଣ କରିବାକୁ ହୁଏ । ଚାରା କରିବାକୁ ହେଲେ ପ୍ରଥମତଃ ମିଶ୍ରିତ ମୃତ୍ତିକାବିଶିଷ୍ଟ କୌଣସି ସ୍ୱତନ୍ତ୍ର ସ୍ଥାନର ମୃତ୍ତିକା ଉତ୍ତମରୂପେ ଚୂର୍ଣ୍ଣ କରି ତହିଁରେ ସାର ଦେଇ କୋବିର ବୀଜ ପକାଇବାକୁ ହେବ । ଅନନ୍ତର ସେମାନଙ୍କୁ ରୌଦ୍ରର ଉତ୍ତାପରୁ ରକ୍ଷା କରିବାର ନିମିତ୍ତ ଦିବସରେ ସେହି ସ୍ଥାନର ଉପର କୌଣସି ଉପଯୁକ୍ତ ଆବରଣ ରଖି ରାତ୍ରିକାଳରେ ତାହା ଅଲଗା ରଖିବାର ଆବଶ୍ୟକ । ତଦନନ୍ତର ବୀଜରୁ ଅଙ୍କୁରୋତ୍ପନ୍ନ ହୋଇ କ୍ରମେ ଚାରାରୂପେ ପରିଣତ ହେଲେ ସେହି ସ୍ଥାନରେ ପାଣି ଇଡ଼ି ମାଟି କି କାଦୁଅପରି କରି ଅତି ସାବଧାନରେ ଚାରାଗୁଡ଼ିକ ଉଠାଇ ନେଇ କ୍ଷେତ୍ରରେ ରୋପଣ କରିବ ରୋପଣ କରିବାର ପୂର୍ବରୁ କ୍ଷେତ୍ରକୁ ଉତ୍ତମରୂପେ ଚାଷ ଓ ମୃତ୍ତିକାକୁ ଚୂର୍ଣ୍ଣ କରି ତହିଁରେ ଗୋମୟର ସାର ଦେବ, ପରେ ମଇ ଟାଣି କ୍ଷେତ୍ରର ସବୁ ସ୍ଥାନର ମୃତ୍ତିକା ସମାନ କରି ଦେଢ଼ହାତ ବା ସାତପା ବ୍ୟବଧାନରେ ଧାଡ଼ି ଧାଡ଼ି ହୁଡ଼ା ବାନ୍ଧିବ ସେହି ହୁଡ଼ାର ଉପରେ ଏକ ଏକ ହାତ ଅନ୍ତର କୋବିର ଚାରାଗୁଡ଼ିକ ରୋପଣ କରିବ, ଚାରା ମୃତ୍ତିକାକୁ ଦୃଢ଼ରୂପେ ଆଶ୍ରୟ କରିବା ପର୍ଯ୍ୟନ୍ତ ପ୍ରତିଦିନ ପ୍ରାତଃକାଳରୁ ସନ୍ଧ୍ୟାପର୍ଯ୍ୟନ୍ତ ତାହା ଉପରେ କଦଳିପତ୍ର ବା ଅନ୍ୟ କୌଣସି ଆବରଣଦ୍ୱାରା ଘୋଡ଼ାଇ ରଖିବ । ଅନନ୍ତର ସନ୍ଧ୍ୟା ସମୟରେ ଅତି ସୂକ୍ଷ୍ମଧାରାରେ ସେମାନଙ୍କ ମୁଳରେ ଜଳସେଚନ କରିବାକୁ ହେବ । ଚାରାଗୁଡ଼ିକ ବଦ୍ଧମୂଳ ଓ ସଜୀବ ହୋଇ ଉଠିଲେ ସମୟେ ସମୟେ ସେମାନଙ୍କ ମୂଳର ମାଟି ଅଲଗା କରୁଥିବ । ବନ୍ଧାକୋବି ହେଲେ ସେମାନଙ୍କ ଚାରିପାଖର ପତ୍ର ଏକତ୍ର କରି ରଜ୍ଜୁଦ୍ୱାରା ବାନ୍ଧିବ, ଓଲକୋବି ଓ ଫୁଲକୋବିରେ ସେରୂପ କରିବାର ଆବଶ୍ୟକ ନାହିଁ । କୋବି ଅତ୍ୟନ୍ତ ପୁଷ୍ଟିକର, ସୁସ୍ୱାଦ ଓ ଆମକାରକ ।

ଧୂଆଁ ପତ୍ର

କାର୍ତ୍ତିକ ମାର୍ଗଶିର ଏହି ଦୁଇ ମାସ ଧୂଆଁ ପତ୍ର ଚାଷର ଉତ୍କୃଷ୍ଟ ସମୟ, ମିଶ୍ରିତ ମୃତ୍ତିକା ବିଶିଷ୍ଟ କ୍ଷେତ୍ର ଏହା ପକ୍ଷରେ ଉପଯୁକ୍ତ । ପ୍ରଥମତଃ କୌଣସି ସ୍ୱତନ୍ତ୍ର ସ୍ଥାନର ମୃତ୍ତିକା ଖନନ ଓ ଉତ୍ତମରୂପେ ଚୂର୍ଣ୍ଣ କରି ତହିଁରେ ଗୋମୟଂସାର ଦେବ, ପରେ ଧୂଆଁ ପତ୍ରର ବୀଜ ବୁଣି ତଳି ପକାଇବ, ଏଣେ ଯେଉଁ କ୍ଷେତ୍ରରେ ତଳି ଲଗାଇବାକୁ ହେବ, ସେ କ୍ଷେତ୍ରର ମୃତ୍ତିକା ଖନନ, ଚୂର୍ଣ୍ଣ କରଣ, ଓ ସାର ପ୍ରଦାନ ପ୍ରଭୃତି କାର୍ଯ୍ୟ କରି ଧାଡ଼ି ଧାଡ଼ି କରି ହୁଡ଼ା ବାନ୍ଧିବ । ଅନନ୍ତର ପ୍ରତି ଦୁଇ ହୁଡ଼ାର ମଧ୍ୟସ୍ଥ ନିମ୍ନ ଭୂମିରେ ଅଧ ଅଧ ହାତ ଅନ୍ତରରେ ତଳି ରୋପଣ କରିବ, ତାହାର ଚେର ଯେ ପର୍ଯ୍ୟନ୍ତ ଉତ୍ତମରୂପେ ମୃତ୍ତିକାକୁ ଆଶ୍ରୟ ନେଇ ନ ଥିବ ସେ ପର୍ଯ୍ୟନ୍ତ ସୂର୍ଯ୍ୟର ଉତ୍ତାପରୁ ରକ୍ଷା କରିବା ନିମିତ୍ତ ତାହା ଉପରେ କୌଣସି କୌଶଳ ପୂର୍ବକ ଛାୟା କରିବ । ସୂର୍ଯ୍ୟାସ୍ତ ହେଲାକ୍ଷଣି ସେହି ଛାୟା ଉଠାଇ ନେଇ ଅତି ସୂକ୍ଷ୍ମ ଧାରାରେ ତାହା ଉପରେ ଜଳସେଚନ କରିବାକୁ ହେବ ! ଅନନ୍ତର ଗଛ ଗୁଡ଼ିକ ବଡ଼ ବଡ଼ ହେଲେ ସେମାନଙ୍କର ପ୍ରଥମ ଜାତ ପତ୍ର, ମସ୍ତକ ଓ ଅନ୍ୟାନ୍ୟ କେତେକ ପତ୍ର ଭାଙ୍ଗି ପକାଇ ଦେବ । ଗଛରେ ବହୁତ ପତ୍ର ରହିଲେ ଧୂଆଁ ପତ୍ର ଆକାରରେ ଛୋଟ ହୁଏ । ଧୂଆଁ ପତ୍ର ଉତ୍ତେଜକ ଏବଂ ମାଦକ ।

ପଟଳ

କାର୍ତ୍ତିକ ମାସରେ ପଟଳର ଚାଷ ଆରମ୍ଭ ହୁଏ । ମିଶ୍ରିତ ମୃତ୍ତିକାରେ ପଟଳ ଉତ୍ତମ ହୁଏ-। କ୍ଷେତ୍ରକୁ ଉତ୍ତମରୂପେ ଖନନ କରି ତହିଁରେ ଗୋବରର ଖତ ବା ପିଡ଼ିଆ ଦେଇ ପ୍ରସ୍ତୁତ କରିବ, ତଦନନ୍ତର ସେହି କ୍ଷେତ୍ରରେ ଚାରି ଚାରି ହାତ ଛଡ଼ାରେ ଗୋଟିଏ ଗୋଟିଏ ପହଣି କରିବ, ଏରୂପ କରିବାର କାରଣ ଏହି ଯେ ବର୍ଷା ହେଲେ କ୍ଷେତ୍ରସ୍ଥ ଜଳ ସେହି ପହଣି ବାଟରେ ବାହାରି ଯିବ । ପଟଳ ଗଛର ମୂଳ ସବୁ ଦୁଇ ତିନି ଅଙ୍ଗୁଳ ପରିମିତ ଖଣ୍ତ ଖଣ୍ତ କରି ସେହି ସମସ୍ତ ଖଣ୍ତକୁ କୌଣସି ପାତ୍ର ମଧ୍ୟରେ ଗୋବରର ଜଳ ସହିତ ଭିଜାଇ ରଖିବ, ଦୁଇ ତିନି ଦିନ ଗଲା ଉତ୍ତାରୁ ତହିଁରେ ପରିମିତରୂପେ ଆଉ କିଛି ଗୋବରର ଜଳ ଦେବ । ଏହିରୂପ କିଛି ଦିନ କଲା ଉତ୍ତାରୁ ତହିଁରୁ ଗଜା ବାହାରିବ, ଏହି ଗଜାକୁ ପୂର୍ବୋକ୍ତ ପ୍ରତି ଚାରି ଚାରି ହାତ କ୍ଷେତ୍ର ମଧ୍ୟରେ ତିନି ତିନି ଧାଡ଼ି କରି ପୋତିବ । ଅନନ୍ତର ପାଚ ଛ ଦିନ ଅନ୍ତର ତହିଁରେ ପାଣି ଦଉଥିବ, ଏକ ଏକ ସମୟରେ ମୂଳର ମାଟି ବଦଳାଇ ଦେଉଥିବ । ଏକ ବରଷର ପଟଳ ଗଛରେ ଦୁଇ ବର୍ଷ ପର୍ଯ୍ୟନ୍ତ ପଟଳ ହୁଅଇ ପଟଳ ଅତ୍ୱୁତ୍ତମ ପରିବା, ପଟଳ ବାୟୁ, ପିତ୍ତ, କଫନାଶକ, ଏହି ପୀଡ଼ିତ ଓ ସୁସ୍ଥାବସ୍ଥାରେ ଖିଆ ଯାଇ ପାରେ , ଏହାର ମଞ୍ଜି ବଡ ଅପକାରୀ ଏକାରଣ ତାହା ପରିତ୍ୟାଗ କରି ଖାଇବାର ଉଚିତ, ପଟଳ ମାଛ ସଙ୍ଗେ ରାନ୍ଧ ଖାଇଲେ ମେହ ରୋଗ ନଷ୍ଟ ହୁଏ ।

ଆଖୁ

ଚୈତ୍ର ଓ ବୈଶାଖ ଏହି ଦୁଇ ମାସରେ ଆଖୁର ଚାଷ ଆରମ୍ଭ ହୁଏ । ମିଶ୍ରିତ ମୃତ୍ତିକାରେ ଆଖୁ ଉତ୍ତମ ହୁଅଇ । ତିରିଶି ଓଡରୁ କମ ନୁହେ ଏରୂପ ଭୂମିକି ଚାଷ କରି ତହିଁରେ ଗୋବରର ଖତ ବା ପିଡ଼ିଆ ଦେଇ ରଖିବ, ଅନନ୍ତର ଉତ୍ତମ ଆଖୁର ପ୍ରତି ଗଣ୍ଠିଠାରୁ ଉଭୟ ପାର୍ଶ୍ୱରେ ଚାରି ଚାରି ଅଙ୍ଗୁଳି ଛାଡ଼ି ଆଖୁଦଣ୍ତାକୁ ଖଣ୍ତ ଖଣ୍ତ କରି ସେହି ସମସ୍ତ ଆଖୁଖଣ୍ତମାନଙ୍କରେ ଜଳ ସେଚନ କରି ତାହାକୁ ନେଇ ଉକ୍ତ ଭୂମି ଖଣ୍ତରେ ଏକ ଏକ ହାତ ଅନ୍ତରରେ ଲଗାଇ ସମୟେ ସମୟେ ଆବଶ୍ୟକମତ ଜଳ ସେଚନ କରିବାକୁ ହେବ । ଆଖୁଗଛ ବଡ଼ ହେଲେ ତାହା ମୂଳରୁ ଧରି ଅଗ୍ରପର୍ଯ୍ୟନ୍ତ ସେହି ଗଛ ପତ୍ରରେ ବାନ୍ଧିଦେବ । ଆଖୁର ଚାଷ ଏକବର୍ଷ ମଧ୍ୟରେ ସମାପ୍ତ ହୁଏ । ଆଖୁ ମଧୁର, ତେଜସ୍କର, ସ୍ନିଗ୍ଧ, ଶୁକ୍ର ଓ କଫ ବୃଦ୍ଧିକାରକ ଏବଂ ରକ୍ତପିତ୍ତ ନାଶକ ।

ଅଦା ଓ ହଳଦି

ଅଦା ଆଉ ହଳଦି ଏ ଦୁହିଁଙ୍କର ଚାଷପ୍ରଣାଳୀ ଏକପ୍ରକାର । ବୈଶାଖ ମାସଠାରୁ ଆଷାଢ଼ର କେତେକ ଦିନ ପର୍ଯ୍ୟନ୍ତ ଦୁହିଙ୍କର ଚାଷ ଆରମ୍ଭ ହୁଏ । ମିଶ୍ରିତ ମୃତ୍ତିକାବିଶିଷ୍ଟ କ୍ଷେତ୍ରକୁ ଖନନ କରି ଖନିତ ମୃତ୍ତିକା ଧୂଳି ପ୍ରାୟ ଚୂର୍ଣ୍ଣ କରିବ । ଅନନ୍ତର ଦେଢ଼ହାତ ବା ସାତ ପା ଅନ୍ତରରେ ଅଦା ବା ହଳଦିର ଗଣ୍ଠି ପୋତିବ । ଗଜା ଜନ୍ମିଲାଉତ୍ତାରୁ ସମୟେ ସମୟେ ଅନ୍ୟ ଅନ୍ୟ ସ୍ଥାନରୁ ମୃତ୍ତିକା ଉଠାଇ ଆଣି ଗଜା ମୂଳରେ ପ୍ରଦାନ କରିବ । ଶୀତକାଳରେ ଏରୂପ ମୃତ୍ତିକା ଦେବାର ଆବଶ୍ୟକ ନାହିଁ । ମାଘ ଓ ଫାଲ୍‌ଗୁଣ ମାସରେ କ୍ଷେତ୍ରରୁ ଅଦା ଓ ହଳଦି ଖୋଳିବାକୁ ହୁଏ । ଅଦା, କଟୁ, ଭେଦକ, କଫ, ବାୟୁ, ବିଦ୍ଧମଳ ଏବଂ ବେଦନା ନଷ୍ଟକାରୀ । ହଳଦି ପ୍ରମେଦ ଏବଂ ପିତ୍ତ ନାଶକ ଓ ରକ୍ତ ପରିଷ୍କାରକ ।

ଲଙ୍କାମରିଚ

ବାଇଗଣ ପରି ଲଙ୍କାମରିଚର ତଳି ଜନ୍ମାଇ କ୍ଷେତ୍ରରେ ରୋପଣ କରିବାକୁ ହୁଏ । ଏହାର ତଳି ଜନ୍ମାଇବାର ପ୍ରଣାଳୀ ଅବିକଳ ବାଇଗଣ ତୁଲ୍ୟ । ମିଶ୍ରିତ ମୃତ୍ତିକାବିଶିଷ୍ଟ କ୍ଷେତ୍ରକୁ ଉତ୍ତମରୂପେ ଚାଷ କରି ମୃତ୍ତିକା ଚୂର୍ଣ୍ଣ କରତ ଧାଡ଼ି ଧାଡ଼ି ହୁଡ଼ାବାନ୍ଧି ଚାରାଗୁଡ଼ିକ ଏକ ଏକ ହସ୍ତ ଅନ୍ତରରେ ରୋପଣ କରିବ । ଅନନ୍ତର ଗଛର ଚେର ମୃତ୍ତିକାକୁ ଦୃଢ଼ରୂପେ ଆଶ୍ରୟ କରିବା ପର୍ଯ୍ୟନ୍ତ ଅପରାହ୍ନ କାଳରେ ତାହାର ମୂଳରେ ଜଳ ସେଚନ କରିବ । ଲଙ୍କାମରିଚ କ୍ଷେତ୍ରରେ ଉଦୟଠାରୁ ଅସ୍ତପର୍ଯ୍ୟନ୍ତ ସୂର୍ଯ୍ୟକିରଣ ପଡ଼ିବାର ଆବଶ୍ୟକ । ଛାୟା ଏବଂ ରସବିଶିଷ୍ଟ ଭୂମିରେ ଲଙ୍କାମରିଚ ଲଗାଇଲେ ଅଧିକ ଫଳଇ ନାହିଁ; ଏବଂ ରାଗମଧ୍ୟ କମ ହୁଏ । ଲଙ୍କାମରିଚ, କଟୁ, କଫଶ୍ରାବକ, ରୁକ୍ଷ, ଏବଂ ପିତ୍ତ ବୃଦ୍ଧିକାରୀ । ଏହାର ସଂଯୋଗରେ ବ୍ୟଞ୍ଜନାଦିର ସୁସ୍ୱାଦ ଜନ୍ମେ । ଆମ୍ବିଳ ଓ ପିତାର ସହିତ ଲଙ୍କାମରିଚ ମିଶାଇ ଖାଇଲେ ସଦ୍ୟ ପୀଡ଼ା ଜାତ ହୁଏ ।

ବିଲାତିଆଳୁ

ଶ୍ରାବଣମାସର ଶେଷଠାରୁ କାର୍ତ୍ତିକମାସର କେତେକ ଦିନ ପର୍ଯ୍ୟନ୍ତ ବିଲାତିଆଳୁ ଲଗାଇବାରୁ ଉକ୍ତୃଷ୍ଟ ସମୟ । ମିଶ୍ରିତ ମୃତ୍ତିକା, ଯହିଁରେ ବାଲି ଓ ମଟାଳ ସମଭାବରେ ମିଶ୍ରିତ ଅଛି ସେହି ମୃତ୍ତିକା ଆଳୁଚାଷ ପକ୍ଷରେ ଉପଯୁକ୍ତ ସ୍ଥାନ । ପ୍ରଥମତଃ ମୃତ୍ତିକାକୁ ଏରୂପ ଚାଷ କରିବାକୁ ହେବ ଯେ ଏକହସ୍ତ ଗଭୀରରୁ ଅଧିକ ମାଟି ଉଠି ଅଲଗା ହେବ । ଅନନ୍ତର ମୃତ୍ତିକାକୁ ଧୂଳିପରି ଚୂର୍ଣ୍ଣକରି ତହିଁରେ ଗୋମୟର ସାର ବା ପିଡ଼ିଆ ଦେଇ ମଇଦ୍ୱାରା ଭୂମିକି ସମାନ କରି ଦେଢ଼ହାତ ବା ସାତ ପା ଅନ୍ତରରେ ଗୋଟିଏ ଗୋଟିଏ ହୁଡ଼ା ବାନ୍ଧି, ପ୍ରତ୍ୟେକ ହୁଡ଼ାର ଉପରେ ଅଧ ଅଧ ହାତ ଅନ୍ତରରେ ଚକ୍ଷ୍ମବିଶିଷ୍ଟ କ୍ଷୁଦ୍ର କ୍ଷୁଦ୍ର ବୀଜ ଆଳୁ ରୋପଣ କରିବାକୁ ହେବ । ଅନନ୍ତର ଚାରା ଜନ୍ମିଲାଉତ୍ତାରୁ ଉଭୟ ପାର୍ଶ୍ୱ ନିମ୍ନସ୍ଥାନରୁ ମୃତ୍ତିକା ଉଠାଇ ଚାରା ମୂଳକୁ ଆଉଯାଇ ଦେବ, ଚାରା ଯେତେ ବଡ଼ ହେଉଥିବ, ଦୁଇତିନି ମାସ ପର୍ଯ୍ୟନ୍ତ ଦଶ ଦଶ ଦିନ ଅନ୍ତରରେ ଏହିରୂପ ମୃତ୍ତିକା ଉଠାଇ ଦେଉଥିବ । ଗଛ ସତେଜ ରହିବା ନିମିତ୍ତ ଆବଶ୍ୟକମତେ ଉଭୟ ପାର୍ଶ୍ୱ ନାଳରେ ଜଳ ପ୍ରଦାନ କରିବ । ଆଳୁ ମାର୍ଗଶିରଠାରୁ ଫାଲ୍‌ଗୁନ ପର୍ଯ୍ୟନ୍ତ ଭୂମିରୁ ଖୋଳାଯାଏ । ବୀଜ ଆଳୁ ରୋପଣ କଲେ କ୍ଷୁଦ୍ର କ୍ଷୁଦ୍ର ଆଳୁ ଜାତ ହୁଏ, ମାତ୍ର ତାହାର ଚକ୍ଷୁ କାଟି ପୋତିଲେ ଆଳୁ ଆକାରରେ ବଡ଼ ହୁଏ । ଆଳୁ ଉତ୍କୃଷ୍ଟ ପରିବା ମଧ୍ୟରେ ଗଣନୀୟ । ଇଂଲଣ୍ଡ, ସ୍ମଟଲଣ୍ଡ, ଓ ଆମେରିକା ପ୍ରଭୃତିର ଅଧିକାଂଶ ଲୋକ ଆଳୁ ଖାଇ ଜୀବନଧାରଣ କରନ୍ତି । ଆଳୁ, ପୁଷ୍ଟିକର, ରୁଚିକର, ତେଜସ୍କର, ଓ କିଞ୍ଚିତ୍‌ ଆମଜନକ ।

ଆରାରୁଟ

ବୈଶାଖ ମାସଠାରୁ ଆଷାଢ଼ର କେତେକ ଦିନ ପର୍ଯ୍ୟନ୍ତ ଆରାରୁଟର ଚାଷ ହୁଏ । ମିଶ୍ରିତ ମୃତ୍ତିକା ଏହା ପକ୍ଷରେ ଉତ୍କୃଷ୍ଟ ସ୍ଥାନ । ପ୍ରଥମତଃ ଭୂମିକୁ ଅଧିକ ପରିମାଣେ ଖୋଳି ଓ ମୃତ୍ତିକାକୁ ଉତ୍ତମରୂପେ ଚୂର୍ଣ୍ଣକରି ତହିଁରେ ସାର ଦେଇ ଆଳୁ କିଆରି ପରି ଧାଡ଼ି ଧାଡ଼ି ହୁଡ଼ା ବାନ୍ଧିବ-। ଅନନ୍ତର ଅଧ ଅଧ ହାତ ଅନ୍ତରରେ ଆରାରୁଟର ମୂଳ ପୋତିବାକୁ ହେବ । ଚାରା ହେଲା ଉତ୍ତାରୁ ସମୟେ ସମୟେ ତାହାର ପାର୍ଶ୍ୱସ୍ଥ ନାଳରୁ ମୃତ୍ତିକା ଉଠାଇ ଚାରାର ମୂଳସବୁ ଘୋଡ଼ାଇବା । ଶୀତକାଳ ଆରମ୍ଭ ହେଲେ ସେପରି ମୂଳରେ ମୃତ୍ତିକା ଦେବାର ପ୍ରୟୋଜନ ନାହିଁ । ମୃତ୍ତିକା ସରସ ଥିବା ସମୟରେ ଜଳସେଚନ ନିଷିଦ୍ଧ, । ମୃତ୍ତିକା ଯେତେବେଳେ ବିଶେଷ ରସହୀନ ବୋଧ ହେବ, ତେତେବେଳେ ଜଳ ପ୍ରଦାନ କରିବ । ମାଘ, ଫାଲ୍‌ଗୁନ ମାସରେ କ୍ଷେତ୍ରରୁ ଆରାରୁଟର ଗଛ ଉଠାଯାଏ । ଆରାରୁଟ ସେହି ଗଛର ମୂଳରୁ ପ୍ରସ୍ତୁତ କରାଯାଏ । ମୂଳସବୁ ଜଳରେ ଉତ୍ତମରୂପେ ଧୋଇ ଛୁରିଦ୍ୱାରା ତାହାର ଛାଲ ଛେଲିବ । ଅନନ୍ତର ତାହାକୁ ଢିଙ୍କିରେ ଉତ୍ତମରୂପେ ଚୂର୍ଣ୍ଣ କରି ଚାଲୁଣିରେ ଚଲାଇ ନିର୍ମଳ ଜଳରେ ବାରମ୍ବାର ଧୌତ କରି ଶୁଖାଇଲେ ଆରାରୁଟ ପ୍ରସ୍ତୁତ ହୁଏ । ଆରାରୁଟ ଅତିଶୟ ପୁଷ୍ଟିକର, ଶୀତଳ, ଓ ଲଘୁପାକ, ରୋଗିଙ୍କ ପକ୍ଷରେ ଏହା ଅତି ଉପକାରୀ, ଦୁଗ୍ଧପୋଷ୍ୟ ଶିଶୁମାନଙ୍କୁ ଅନ୍ନ ଖୁଆଇବା ପୂର୍ବରୁ ଅନେକ ଲୋକ ଆରାରୁଟ ଖୁଆନ୍ତି; ଏଥିରେ ବାଳକ ସତେଜ ଓ ସବଳ ହୁଏ ।

ଗହମ

ଆଶ୍ୱିନ ଓ କାର୍ତ୍ତିକମାସ ଗହମ ଚାଷ ପକ୍ଷରେ ଉପଯୁକ୍ତ ସମୟ । ପ୍ରଥମତଃ ମିଶ୍ରିତ ମୃତ୍ତିକାବିଶିଷ୍ଟ କ୍ଷେତ୍ରକୁ ଅର୍ଦ୍ଧ ହସ୍ତ ଗଭୀର ପର୍ଯ୍ୟନ୍ତ ଚାଷକରି ମୃତ୍ତିକା ଉତ୍ତମରୂପେ ଚୂର୍ଣ୍ଣ କରିବ । ଅନନ୍ତର କ୍ଷେତ୍ରରେ ଗୋମୟସାର ପ୍ରଦାନ କରିବ ଗହମକୁ କୌଣସି ପଶୁର ମୂତ୍ରରେ ତିନ୍ତାଇ ତଦନନ୍ତର ଶୁଷ୍କ କରି ବୁଣିବ । ଏକମାଣ ଭୂମିରେ ଆଠସେର ଗହମ ବୁଣିବାକୁ ହେବ । ଅନନ୍ତର ଗଛ ବଡ଼ ହେଲେ ତହିଁର ଘାସ ବାଛି ସମୟେ ସମୟେ ଜଳ ଦେବାକୁ ହେବ । ଗହମ ଅତିଶୟ ବଳକାରକ-। ପଶ୍ଚିମ ଦେଶର ଲୋକ କେବଳ ଗହମର ରୁଟି ଖାଇ ଜୀବନ ଧାରଣ କରନ୍ତି ।

 

 

ଚିନର ବାଦାମ

ଆଶ୍ୱିନ୍ୟ ଓ କାର୍ତ୍ତିକ ମାସରେ ଏହାର ଚାଷ ହୁଏ । ପ୍ରଥମତଃ ମିଶ୍ରିତ ମୃତ୍ତିକା ବିଶିଷ୍ଟ କ୍ଷେତ୍ରକୁ ଉତ୍ତମରୂପେ ଚାଷ କରି ମୃତ୍ତିକା ଧୂଳିବତ୍‌ ଚୂର୍ଣ୍ଣ କରତଃ ଗୋମୟସାର ଦେଇ ତହିଁରେ ଧାଡି ଧାଡି ହୁଡ଼ା ବାନ୍ଧି, ଏକ ଏକ ହାତ ଅନ୍ତରରେ ଗୋଟିଏ ଗୋଟିଏ ବୀଜ ରୋପଣ କରିବ । ଅନନ୍ତର ଚାରା ଜନ୍ମିଲା ଉତ୍ତାରୁ ମୂଳର ମୃତ୍ତିକା ଅଲଗା କରିବ ଓ ଆବଶ୍ୟକ ମତେ ଜଳ ପ୍ରଦାନ କରିବାକୁ ହେବ । ଚିନିର ବାଦାମ ଗୁରୁ ପାକ ଓ ପୃଷ୍ଟିକର ଅଧିକ ଖାଇଲେ ଉଦରାମୟ ରୋଗ ଜନ୍ମେ ।

ସୋରିଷ

ଆଶ୍ୱିନର କେତେକଦିନଠାରୁ କାର୍ତ୍ତିକର ଶେଷ ପର୍ଯ୍ୟନ୍ତ ସୋରିଷ ବୁଣିବାର ଉପଯୁକ୍ତ ସମୟ, ସୋରିଷ ମଟାଳମାଟିରେ ଅତି ଉତ୍ତମ ହୁଏ । ପ୍ରଥମତଃ ଭୂମିକି ଉତ୍ତମରୂପେ ଚାଷ ଓ ମୃତ୍ତିକାକୁ ବିଶେଷରୂପେ ଚୂର୍ଣ୍ଣ କରି ସୋରିଷ ବୁଣିବାକୁ ହେବ । ଏକମାଣ ଭୂମିରେ କଟକୀ ୫ ସେରରୁ ଅଧିକ ବୁଣିବାର ଉଚିତ ନୁହେ । ସୋରିଷକୁ ବୁଣି ସାରି ମଇଦ୍ୱାରା ଭୂମିକି ସମାନ କରିବ-। ସୋରିଷ ତେଲ ଅତି ସୁସ୍ୱାଦ ଓ ଚିକ୍କଣ, ଅଧିକ ପରିମାଣରେ ଶରୀରରେ ଲଗାଇଲେ ଗରମ ହୁଏ-

 

ରାଶି

ଭାଦ୍ର ଓ ଆଶ୍ୱିନ ମାସରେ ରାଶିର ଚାଷ ଆରମ୍ଭ ହୁଏ । ମିଶ୍ରିତ ମୃତ୍ତିକା ବିଶିଷ୍ଟ ଭୁମି, ନଦୀକୁଳାଟ, ବା ପଡ଼ିଆ ପଙ୍କୀଳ, ପାହାଡ଼ିଆ ତଇଲାମାନ ରାଶି ବୁଣିବାର ଉପଯୁକ୍ତ ସ୍ଥାନ । ଭୂମିକି ତିନିଓଡ଼ ଚାଷ କରି ମୃତ୍ତିକାକୁ ଉତ୍ତମରୂପେ ଚୂର୍ଣ୍ଣ କରତ ରାଶି ବୁଣି ମଇଦ୍ୱାରା ଭୂମିକି ସମାନ କରିବ । ବୃଷ୍ଟିଜଳ ଭୂମିରେ ନ ରହି ସ୍ଥାନାନ୍ତରିତ ହେବା ନିମିତ୍ତ କ୍ଷେତ୍ରରେ ଶିଆର କାଟିବାକୁ ହେବ-। ରାଶି ଚାଷରେ ଆଉ ଅଧିକ ପରିଶ୍ରମ ନାହିଁ-। ରାଶିର ତେଲ ଅତିଶୟ ଶୀତଳ ।

ପିଆଜ

ପିଆଜର ଚାଷ ଶୀତଳକାଳରେ ଆରମ୍ଭ ହୁଏ । ପ୍ରତମତଃ ମିଶ୍ରିତ ମୃତ୍ତିକା ବିଶିଷ୍ଟ କ୍ଷେତ୍ରକୁ ଉତ୍ତମରୂପେ ଚାଷ କରି ମୃତ୍ତିକାକୁ ଧୂଳିବତ୍ ଚୂର୍ଣ୍ଣ କରତଃ ତହିଁରେ ଅଧିକ ପରିମାଣରେ ଗୋମୟ ସାର ପ୍ରଦାନ କରି ଛ ବା ସାତଆଙ୍ଗୁଳ ଅନ୍ତରରେ ଗୋଟିଏ ଗୋଟିଏ ପିଆଜ ପୋତିବାକୁ ହେବ-। ଅନନ୍ତର ପିଆଜର ଚାରା ଉତ୍ପନ୍ନ ହେଲା ଉତ୍ତାରୁ ଚାରା ମୂଳକୁ ମୃତ୍ତିକା ଆଉଯାଇ ଦେବ, ଏବଂ ଚତୁର୍ଦ୍ଦିଗର ମାଟିକି ହାଲୁକା କରିବା ନିମିତ୍ତ କୋଡ଼ିଦ୍ୱାରା ଖନନ କରିବାକୁ ହେବ । ପିଆଜ ଖୋଳିବାର ଦୁଇମାସ ପୂର୍ବରୁ ତାହାର ପତ୍ରମାନ ମଳି ଦେବାର ଉଚିତ ନୋହିଲେ ପତ୍ର ଅଧିକ ପରିମାଣରେ ରସ ଟାଣିବାରୁ ପିଆଜ ଆକାରରେ ବଡ଼ ହୁଅଇ ନାହିଁ । ପିଆଜ ସୁସ୍ୱାଦୁ ବଳକାରକ ଓ ରକ୍ତ ପରିଷ୍କାରକ ।

 

ସାରୁ

ଜ୍ୟେଷ୍ଠ ଓ ଆଷାଢ଼ ମାସରେ ସାରୁର ଚାଷ ଆରମ୍ଭ ହୁଏ । ମିଶ୍ରିତ ମୃତ୍ତିକା ଏହା ପକ୍ଷରେ ଉତ୍କୃଷ୍ଟ ସ୍ଥାନ, ପ୍ରଥମତଃ କ୍ଷେତ୍ରକୁ ଏକହସ୍ତ ଗଭୀର ପର୍ଯ୍ୟନ୍ତ ଚାଷ କରି ମୃତ୍ତିକାକୁ ଉତ୍ତମରୂପେ ଚୂର୍ଣ୍ଣ କରି ତହିଁରେ ଅଧିକ ପରିମାଣରେ ଗୋମୟସାର ବା ପିଡ଼ିଆ ମିଶ୍ରିତ କରି କ୍ଷେତ୍ରରେ ଏକ ଏକ ହସ୍ତ ଛଡ଼ାରେ ଗୋଟିଏ ଗୋଟିଏ ହୁଡ଼ା ବାନ୍ଧି ତହିଁରେ ସାରୁର ମଞ୍ଜି ପୋତିବାକୁ ହେବ । ମାତ୍ର ଶଙ୍ଖସାରୁକୁ ଏକହସ୍ତ ଗଭୀରରେ ଗୋହିକାଟି ତାହାର ଚକ୍ଷୁ ବିଶିଷ୍ଟ ସାରୁକୁ ଲଗାଇବାକୁ ହୁଏ ସାରୁର ତଳି ପ୍ରସ୍ତୁତ କରି କେହି କେହି ରୋପଣ କରନ୍ତି । ଶଙ୍ଖସାରୁ ଅପେକ୍ଷାକୃତ ଦୀର୍ଘକାଳରେ ଖୋଳାଯାଏ ମାତ୍ର କୁଜିସାରୁ ପ୍ରଭୃତି ସାରୁମାନ ସାରଦ ଧାନ ସହିତ ଉତ୍ପନ୍ନ ହୁଏ । ସାରୁ ଚାଷରେ ବିଶେଷ ନିୟମ ଏହି ଯେ ଯେଉଁ ଭୂମିରେ ଏକବର୍ଷ ସାରୁ କରିବ ତିଥିର ବର୍ଷ ତହିଁରେ ସାରୁ କଲେ ତାହା ଅଧିକ ଫଳବାନ୍ ହୁଏ ନାହିଁ କାରଣ ମୃତ୍ତିକା ଗର୍ଭରେ ଯେଉଁ ସବୁ ଫସଲ ହୁଏ ତହିଁରେ ଭୂମିର ରସ ଅଧିକ ପରିମାଣରେ ବ୍ୟୟିତ ହେବାରୁ ତାହାର ଉର୍ବରତା ଶକ୍ତି କମ ହୁଏ । ସାରୁ ପୃଷ୍ଟିକର, ଶୋଥନାଶକ, ରକ୍ତପରିଷ୍କାରକ ଓ ଆମକାରକ ।

ଚିନା

ଚିନାର କୌଣସି ଏକ ନିର୍ଦ୍ଦିଷ୍ଟ ସମୟ ନାହିଁ । ସବୁ ଋତୁରେ ଏହା କରାଯାଇ ପାରେ ପ୍ରଥମତଃ ମିଶ୍ରିତ ମୃତ୍ତିକାବିଶିଷ୍ଟ କ୍ଷେତ୍ରକୁ ତିନି ଓଡ଼ରୁ ନ୍ୟୁନ ନୁହେ ଏରୂପ ଚାଷ କରି ମୃତ୍ତିକାକୁ ମଇଦ୍ୱାରା ଚୂର୍ଣ୍ଣ କରତଃ ଚିନାର ବୀହନ ବୁଣିବାକୁ ହେବ । ଗଜା ହେଲା ଉତ୍ତାରୁ ପକ୍ଷୀମାନଙ୍କଠାରୁ ରକ୍ଷା କରିବା ନିମିତ୍ତ ବିଶେଷ ଉପାୟ ଅବଲମ୍ବନ କରିବାକୁ ହେବ ଅନନ୍ତର ଆବଶ୍ୟକ ମତେ ତହିଁରେ ଜଳସେଚନ କରିବ । ଚିନା ଦୁଇମାସ ମଧ୍ୟରେ ପ୍ରସ୍ତୁତ ହୁଏ । ଏହାର ଦାନା ଅତି ସୂକ୍ଷ୍ମ, ଏଥିର ଚୂଡ଼ା ଅତି ମଧୁର, ଅନେକ ଲୋକ ଚିନାର ଯାଉ କରି ଭୋଜନ କରନ୍ତି ।

କୋଶଳା ଶାଗ

ଆଶ୍ୱିନ ଓ କାର୍ତ୍ତକ ମାସ କୋଶଳା ଶାଗ ବୁଣିବାର ଉପଯୁକ୍ତ ସମୟ । ମିଶ୍ରିତ ମୃତ୍ତିକାବିଶିଷ୍ଟ କ୍ଷେତ୍ରକୁ ଉତ୍ତମରୂପେ ଚାଷ କରି ମୃତ୍ତିକାକୁ ଉତ୍ତମରୂପେ ଚୂର୍ଣ୍ଣକରତଃ ତହିଁରେ ସାର ଦେଇ କ୍ଷେତ୍ରକୁ ଉତ୍ତମରୂପେ ପରିପାଟି କରିବ । ଅନନ୍ତର ବୀଜବପନ କରି କ୍ଷେତ୍ରର ମୃତ୍ତିକାକୁ ଅଳ୍ପ ପରିମାଣରେ ହସ୍ତଦ୍ୱାରା ଲେଉଟାଇ ଦେବ, ମାତ୍ର ଅତି ସାବଧାନ ସହିତ ଏହା କରିବାକୁ ହେବ ଯେ ମଞ୍ଜି ଯେପରି ଏକ ଅଙ୍ଗୁଳର ଅଧିକ ଗଭୀରରେ ପଡ଼ିବ ନାହିଁ । ଶାକର ଗଜା ହେଲା ଉତ୍ତାରୁ ପକ୍ଷୀମାନେ ଗଜା ଭକ୍ଷଣ ନ କରିବାପାଇଁ କିଆରି ମଧ୍ୟରେ ଖଣ୍ଡିଏ ଖଣ୍ଡିଏ କାଠି ପୋତି ତାହା ଉପରେ ଏକ ଏକ ଖଣ୍ଡ କଳାକନା ବାନ୍ଧିବ ଏବଂ କ୍ଷେତ୍ରରେ ଆବଶ୍ୟକ ମତେ ଜଳ ପ୍ରଦାନ କରୁଥିବ । କୋଶଳାଶାଗ ବଡ଼ ସୁସ୍ୱାଦ ଓ ରୁଚିକର ।

ଲେଉଟିଆ ଶାଗ

ଲେଉଟିଆ ଶାଗ ଫାଲ୍‌ଗୁନ ଚୈତ୍ର ମାସରେ ବୁଣାଯାଏ, ଏହାର ଚାଷ ପ୍ରଣାଳୀ ଠିକ କୋଶଳାଶାଗର ଚାଷ ତୁଲ୍ୟ ମାତ୍ର ଏଥିର ଗଛ ଅଧିକ ପରିମାଣରେ ଝଙ୍କା ହୁଏ ଏଣୁ କୋଶଳା ଅପେକ୍ଷା ଅଳ୍ପ ପରିମାଣରେ ମଞ୍ଜି ବୁଣିବାକୁ ହେବ । ଲେଉଟିଆ ମଧୁର ଓ କିଛି ଆମକର ।

 

କଲମ

ବୃକ୍ଷରୁ କଲମ ପ୍ରସ୍ତୁତ କରି ତାହାକୁ ବୃକ୍ଷରୂପେ ପରିଗଣିତ କଲେ ସେ ବୃକ୍ଷରେ ପୁଷ୍ପ ଓ ଫଳ ସମଧିକ ଉତ୍କୃଷ୍ଟ ହୁଏ, ଅତଏବ ଅନେକ ବୃକ୍ଷରୁ କଲମ ଜାତ କରାଇବାର ପ୍ରଥା ପ୍ରଚଳିତ ଅଛି । କଲମ ନାନାପ୍ରକାର ତନ୍ମଧ୍ୟରେ କେତେକ ପ୍ରକାର କଲମର ରୀତି ନିମ୍ନରେ ପ୍ରଦର୍ଶିତ ହେଲା-

ଗୋଟୀ କଲମ

କୌଣସି ଶାଖାର ଦୁଇ ପତ୍ରଗ୍ରନ୍ଥିର ମଧ୍ୟସ୍ଥିତ ଗବକୁ ଛୁରିଦ୍ୱାରା ଚାରି ପାଖର ଛାଲ କିଞ୍ଚିତ୍‌ କାଷ୍ଠ ସହିତ ଛେଲି ତହିଁରେ ସଡା ପତ୍ରର ସାର ବା ଗୋମୟସାର ମୃତ୍ତିକା ସହିତ ମିଶ୍ରିତ କରି ଚତୁଃପାର୍ଶ୍ୱରେ ଦେଇ ଛିଣ୍ଡା ମଶିନା ବା ତଦୁପଯୁକ୍ତ କୌଣସି ଆବରଣ ଦେଇ ବାନ୍ଧିବାକୁ ହେବ ଏବଂ ତାହା ଉପରେ ଗୋଟିଏ ଛିଦ୍ରବିଶିଷ୍ଟ ଜଳ କଳସ ଏରୂପ ଝୁଲାଇ ରଖିବ ଯେ ତହିଁରୁ ଏକ ଏକ ବିନ୍ଦୁଜଳ ଅନବରତ ତାହା ଉପରେ ପଡ଼ିବ । ଏହିପରି ଦୁଇମାସ ପର୍ଯ୍ୟନ୍ତ କଲେ ତହିଁରୁ ଶିକଡ଼ ବାହାରିବ । ତହିଁ ଉତ୍ତାରୁ ସେହି ଶିକଡ଼ର ନିମ୍ନ ଭାଗରୁ କାଟି ଅତି ସାବଧାନ ସହିତ ଉଦ୍ୟାନରେ ରୋପଣ କରିବ । ଉଦ୍ୟାନରେ ରୋପଣ କରି ରୌଦ୍ରରୁ ରକ୍ଷା କରିବା ନିମିତ୍ତ କେତେ ଦିନ ପର୍ଯ୍ୟନ୍ତ ଛାୟା କରିବାକୁ ହେବ । ଚୈତ୍ର ଓ ବୈଶାଖମାସ ଏହି କଲମ ବାନ୍ଧିବାର ସମୟ ଆମ୍ବ ପ୍ରଭୃତି ବଡ଼ ବଡ଼ ବୃକ୍ଷମାନଙ୍କରେ ଏହି କଲମ ପ୍ରସ୍ତୁତ କରାଯାଏ ।

 

ମାଟି କଲମ

ମାଟି କଲମ କରିବାକୁ ହେଲେ ବୃକ୍ଷର ଡାଳକୁ ନୁଆଁଇ ଆଣି ମୃତ୍ତିକା ପୂରିତ ପାତ୍ରରେ ପୋତିବାକୁ ହୁଏ । ପ୍ରଥମତଃ ଯେଉଁ ଅଂଶରୁ କଲମ କରିବାକୁ ହେବ ତାହାର ଏକ ପତ୍ର ଗ୍ରନ୍ଥିଠାରୁ ଅନ୍ୟ ପତ୍ର ଗ୍ରନ୍ଥି ପର୍ଯ୍ୟନ୍ତ ଛୁରିଦ୍ୱାରା ସମଭାବରେ ଚିରିବାକୁ ହେବ । ସେହି ଚିରା ଅଂଶ ମିଶ୍ରିତ ନ ହେବା ପାଇଁ ମଧ୍ୟ ସ୍ଥଳରେ ଖଣ୍ଡେ କାଷ୍ଠ ଦେଇ ମୃତ୍ତିକାରେ ଏରୂପ ପୋତିବାକୁ ହେବ ଯେ ଶାଖା କୌଣସି ପ୍ରକାରେ ମୃତ୍ତିକାରୁ ଉଠି ପାରିବ ନାହିଁ । ଶାଖାର ସେହି ଅଂଶ ନ ଚିରି କାଷ୍ଠ ସହିତ ଉପରର ଛାଲ ଉଠାଇ ମାଟିରେ ପୋତିଲେ ମଧ୍ୟ ହୁଏ । ଅନନ୍ତର ସମୟେ ସମୟେ ତହିଁରେ ପାଣି ଦେଲେ ତିନି ଚାରିମାସ ମଧ୍ୟରେ ତହିଁରୁ ଶିକଡ଼ ବାହାରିବ, ସେହି ଶିକଡ଼କୁ ସାବଧାନରେ ଶାଖାରୁ ଛେଦନ କରି ଉଦ୍ୟାନରେ ରୋପଣ କରିବ । ଚୈତ୍ର ଓ ବୈଶାଖ ମାସରେ ମାଟି କଲମ ପ୍ରସ୍ତୁତ କରାଯାଏ ।

ଶାଖା କଲମ

ବୃକ୍ଷର ଯେଉଁ ସବୁ ଶାଖା ଓହଳି ପଡ଼ି ଥାଏ ସେହି ସବୁ ଶାଖାକୁ ପତ୍ରଗ୍ରନ୍ଥିଠାରୁ କାଟି ସେହି ପତ୍ରଗ୍ରନ୍ଥିଠାରୁ କିଂଚିତ୍ ଛାଲ ଛଡ଼ାଇ ମୃତ୍ତିକାରେ ରୋପଣ କରତଃ ପ୍ରତିଦିନ ଜଳପ୍ରଦାନ କଲେ ତହିଁରୁ ଚେର ବାହାର ହୁଏ ଶାଖାରେ ପତ୍ରଗ୍ରନ୍ଥି ନ ଥିଲେ ଶାଖା କଲମ ହୋଇ ପାରେ ନାହିଁ-

 

ଯୋଡ଼ କଲମ

ଯୋଡ଼ କଲମ କରିବାକୁ ହେଲେ ପ୍ରଥମତଃ ଗୋଟିଏ ଚାରା ପ୍ରସ୍ତୁତ କରିବ । ଅନନ୍ତର ବୃକ୍ଷର ଯେଉଁ ଶାଖାର ଅଂଶ ଚାରା ସହିତ ଯୋଡ଼ିବାକୁ ହେବ ତାହାକୁ ଓ ଚାରାକୁ ଚାରି ଅଙ୍ଗୁଳ ଦୀର୍ଘରେ କିଂଚିତ୍ କାଷ୍ଠର ସହିତ ଛେଲି ପରସ୍ପରକୁ ଏରୂପ ଯୋଡ଼ିବ ଯେ ମଧ୍ୟରେ କୌଣସିରୂପ ଫାଙ୍କ ନ ରହିବ । ପରେ କୌଣସି ସୂକ୍ଷ୍ମ ରକ୍ତଦ୍ୱାରା ତାହାକୁ ବନ୍ଧନ କରି ପ୍ରାୟ ଛ ମାସ ପର୍ଯ୍ୟନ୍ତ ସେହି ଅବସ୍ଥାରେ ରଖିବ । ଯେତେବେଳେ ତାହା ଉତ୍ତମରୂପେ ଯୋଡ଼ ଲାଗି ଯିବ, ସେତେବେଳେ ନିମ୍ନ ଭାଗରେ ବୃକ୍ଷର ଶାଖା ଓ ଉପରେ ଚାରାର ମସ୍ତକ ଛେଦନ କରିବାକୁ ହେବ । ଚାରାର ମସ୍ତକ ଛେଦନ ନ କଲେ ଏକ ବୃକ୍ଷରେ ଦୁଇ ପ୍ରକାର ଫଳ ଫଳିବ, ସୁତରାଂ ଯୋଡ଼ କଲମ କରିବାର ପ୍ରୟୋଜନ ସିଦ୍ଧ ହେବ ନାହିଁ । ଶାଖା ଓ ଚାରା ସମଜାତୀୟ ନ ହେଲେ ଯୋଡ଼ କଲମ ହୁଏ ନାହିଁ । ଯୋଡ଼ କଲମ ସବୁ ସମୟରେ କରା ଯାଇ ପାରେ ।

ଚକ୍ଷୁ କଲମ

ଉଦ୍ଭିଦଜମାନଙ୍କର ପତ୍ର ଗ୍ରନ୍ଥି ଠାରୁ ଶାଖା ଉତ୍ପନ୍ନ ହେବାର ଉପଯୁକ୍ତ ଏକ ପ୍ରକାର କୋମଳ ପତ୍ର ଉତ୍ପନ୍ନ ହୁଏ, ତାହାକୁ ସାଧାରଣତଃ ଲୋକେ ଚକ୍ଷୁ କହନ୍ତି । ସେହି ଚକ୍ଷୁଦ୍ୱାରା ଚାରା ଉତ୍ପନ୍ନ କରିବାର ପ୍ରଣାଳୀକୁ ଚକ୍ଷୁକଲମ କୁହାଯାଏ ।

 

ଉଦ୍ଭିଜ୍ଜର କିଂଚିତ୍ କାଷ୍ଠ ସହିତ ଚକ୍ଷୁ ଉଠାଇ ଆଣି ଅପର କୌଣସି ଶାଖାର ଚକ୍ଷୁବିଶିଷ୍ଟ ସ୍ଥାନରେ ବସାଇବାକୁ ହେବ । ଶାଖାର ଯେଉଁ ସ୍ଥାନରେ ଚକ୍ଷୁ ବସାଇବାକୁ ହେବ ସେହି ସ୍ଥାନରେ ଉପରିଭାଗର ଛାଲ ଛୁରିକାଦ୍ୱାରା କିଂଚିତ୍ ଚିରି ବୃକ୍ଷର ଭିତରରେ କାଷ୍ଠ ଦେହରୁ ଉଭୟ ପାର୍ଶରେ ଛାଲ ଅଲଗା କରି ଦେବ । ଏପରି ସାବଧାନରେ କରିବାକୁ ହେବ ଯେ ବୃକ୍ଷର ଛାଲ ବହିର୍ଗତ ହେବ ନାହିଁ ଅଥଚ ଅଭ୍ୟନ୍ତରରେ ଫାଙ୍କ ରହିବ । ଅନନ୍ତର ଅପର ସ୍ଥାନର ଚକ୍ଷୁକୁ କିଂଚିତ୍ କାଷ୍ଠ ସହିତ ଉଠାଇ ଆଣି ସାହି ଚିରା ସ୍ଥାନରେ ବସାଇ ରଜ୍ଜୁଦ୍ୱାରା ଦୃଢ଼ ରୂପେ ବନ୍ଧନ କରିବ । ଏବଂ ତହିଁରେ ପ୍ରତିଦିନ ଜଳ ପ୍ରଦାନ କରୁଥିବ, ଓ ସୂର୍ଯ୍ୟ କିରଣରୁ ଓ ବୃଷ୍ଟି ଜଳରୁ ରକ୍ଷା କରିବା ନିମିତ୍ତ କୌଣସି ଉପଯୁକ୍ତ ଆବରଣଦ୍ୱାରା ତାହାକୁ ଆଚ୍ଛାଦନ କରିବ । ଏରୂପ କେତେକ ଦିନ ଉତ୍ତାରୁ ଯୋଡ଼ ଉତ୍ତମରୂପେ ଲାଗିଲେ ଉକ୍ତ ଯୋଡ଼ ସ୍ଥାନରୁ ଶିକଡ଼ ବହିର୍ଗତ ହେବାର ଅବ୍ୟବହିତ ପୂର୍ବେ ଶାଖାର ଉପରର କଳିକା ଗୁଡ଼ିକ ଛିନ୍ନ କରି ଦେବ ।

Image